ଆଇଆଇଏଫଏଲ ଲୁଟ୍ ଘଟଣାର ପର୍ଦ୍ଦାଫାସ

  • ୨କେଜି ସୁନା ଜବତ, ୭ଅଟକ

କଟକ : ନୟାସଡକ ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫଏଲ)ରୁ ଗତ ଗୁରୁବାର ହୋଇଥିବା ୨୦ କୋଟି ଟଙ୍କାର ସୁନା ଲୁଟ ଘଟଣାର ରହସ୍ୟ ଉନ୍ମୋଚନ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ୨ କେଜି ସୁନା ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଅଟକ ଅଭିଯୁକ୍ତମାନଙ୍କ ମଧ୍ୟରେ ଆଇଆଇଏଫଏଲର କର୍ମଚାରୀ ତଥା କିଶନନଗର ଧରଣାପୁରର ଲାଲା ଅମ୍ରିତ ରାୟ, ତାଙ୍କ ଭାଇ ଲାଲା ରଂଜିତ ରାୟ, ମାଷ୍ଟର ପ୍ଲାନର ତଥା ଅମ୍ରିତର ବନ୍ଧୁ କିଶନନଗର ବିଶ୍ୱନାଥପୁରର ରଂଜନ ବେହେରା ଓରଫ ବାପୁ, ରାଜକିଶୋର ସାହୁ, ପ୍ରଦୀପ୍ତ ବେହେରା ଓରଫ ପଦିଆ, ପ୍ରକାଶ ସାହୁ ଓରଫ ବିଜୁ ଏବଂ ବହୁଗ୍ରାମର ସନ୍ତୋଷ ଭୋଇ ଓରଫ ବାପି । ପୋଲିସ ସେମାନଙ୍କଠାରୁ ୨ କେଜି ସୁନା, ଲୁଟରେ ବ୍ୟବହୃତ ୨ଟି ମଟରସାଇକେଲ, ହେଲମେଟ୍ ଓ ସେମାନଙ୍କ ପୋଷାକ ଜବତ କରିଥିବା ଜଣାପଡିଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁଯାୟୀ ଏହି ଲୁଟ୍ ପରେ ବ୍ୟାଙ୍କର ଢିଲା ସୁରକ୍ଷା ବ୍ୟବସ୍ଥା ଓ ବ୍ୟାଙ୍କ କର୍ମଚରୀଙ୍କ ବୟାନରେ ତାଳମେଳ ରହୁନଥିବା ଦେଖି ପୋଲିସର କର୍ମଚାରୀଙ୍କ ଉପରେ ସନ୍ଦେହ ବଢିିଥିଲା । ଅନୁସନ୍ଧାନ ପରେ ଉପରୋକ୍ତ ଅଭିଯୁକ୍ତମାନଙ୍କ ସଂପୃକ୍ତି ରହିଥିବା ଜଣାପଡିଥିଲା ।

ମିଳିଥିବା ସୂଚନା ଅନୁସାରେ, କିଶୋରନଗର ଧରଣାପୁରର ଅମ୍ରିତ ଗତ ୫ ବର୍ଷ ହେବ ନୟାସଡକ ସ୍ଥିତ ଆଇଆଇଏଫଏଲ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ସୁନା ବନ୍ଧକ ରଖି ଋଣ ପ୍ରଦାନ କରିଥାଏ । ଏଠାରେ ଅମ୍ରିତ ବହୁ ସୁନା ହେରଫେର କରି ପୂର୍ବରୁ ଆସୁଥିବା ଅଡିଟରମାନଙ୍କୁ ହାତ କରି ଖସି ଯାଉଥିଲା । ମାତ୍ର ଗତ ସପ୍ତାହରେ ଯୋଗ ଦେଇଥିବା ଅଡିଟରଙ୍କୁ ନିଜ ଅକ୍ତିଆରକୁ ଆଣିବାରେ ବିଫଳ ହେବା ପରେ ତା’ର କଲେଜ ସାଙ୍ଗ ରଂଜନ ସହ ଆଲୋଚନା କରି ସାହାଯ୍ୟ ମାଗିଥିଲା । ଏହାପରେ ରଂଜନ ଓ ଅମ୍ରିତ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ବ୍ୟାଙ୍କରେ ସିସିଟିଭି କାର୍ଯ୍ୟକରୁ ନ ଥିବା, ଆଲାର୍ମ ବାଜୁ ନ ଥିବା ଓ ସର୍ବୋପରି ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ଥିବା ଅମ୍ରିତକୁ ଜଣାଥିଲା । ତେଣୁ ରଂଜନର ନିର୍ଦ୍ଦେଶରେ ରାଜକିଶୋରେ, ପ୍ରଦିପ୍ତ, ପ୍ରକାଶ ଓ ସନ୍ତୋଷ ପ୍ରଥମେ ଅମ୍ରିତ ସହ ଆସି ବ୍ୟାଙ୍କକୁ ବୁଲି ଦେଖିଥିଲେ । ତା\’ ପରେ ପୂର୍ବ ଯୋଜନା ମୁତାବକ ଗୁରୁବାର ସକାଳ ୯ଟା ୫୦ରେ ବ୍ୟାଙ୍କ ଖୋଲିବା କ୍ଷଣି ୪ ଅଭିଯୁକ୍ତ ୨ ଟି ବାଇକରେ ଆସି ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ସିକ୍ୟୁରିଟି ଗାର୍ଡ ସମେତ ବ୍ୟାଙ୍କ କର୍ମଚାରୀମାନଙ୍କୁ ଗୋଟିଏ ଘରେ ବନ୍ଦ କରି ରଖି ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ ଓ ଜଣେ କର୍ମଚାରୀ ଲକର ଖୋଲିବା ପରେ ସେମାନେ ସୁନା ଗୁଡିକୁ ବ୍ୟାଗରେ ପୁରାଇ ଫେରାର ହୋଇଯାଇଥିଲେ । ପୋଲିସ ସିସିଟିଭି ଯାଂଚ କରି ବାଇକ ଦୁଇଟିକୁ ଚିହ୍ନଟ କରି ତଦନ୍ତ ଜାରି ରଖିଥିଲା । ଏଥିପାଇଁ ପୋଲିସ ୫ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା । ଅମ୍ରିତର ଭାଇ ରଂଜିତ ପୂର୍ବରୁ ମଙ୍ଗଳାବାଗ ମୁଥୁଟ ଫାଇନାନ୍ସରେ ଚାକିରି କରୁଥିଲା ଓ ସେଠାରୁ ୧ କିଲୋଗ୍ରାମ୍ ସୁନା ଚୋରୀ କରି ଜେଲ୍ ଯାଇଥିବା ଓ ସେହି ଘଟଣାରେ ଅମ୍ରିତ ଆଗୁଆ ଜାମିନ୍ ପାଇଥିବା ପୋଲିସ ତଦନ୍ତ ବେଳେ ଜାଣିପାରିଥିଲା । ରଂଜିତ ଏହି ଘଟଣାରେ ସଂପୃକ୍ତ ରହି ସୁନାରୁ କିଛି ମନପୁରମରେ ନେଇ ବନ୍ଧା ପକାଇଥିବା ସ୍ୱୀକାର କରିଥିଲା । ତେବେ ଅଭିଯୁକ୍ତମାନଙ୍କୁ ପୃଥକ ପୃଥକ ଭାବେ ପଚରା ଉଚରା କରାଯାଉଥିବା କମିଶନର ଡ. ଷଡଙ୍ଗୀ କହିଛନ୍ତି ।

Spread the love