ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର୍ ଆହତ

ସିଡ୍‌ନୀ : ରବିବାର ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର୍ ଆହତ ହୋଇଛନ୍ତି । ସେ ଭାରତୀୟ ଓପନର ଶିଖର ଧୱନ୍‌ଙ୍କ ଏକ ଶଟ୍‌କୁ ରୋକିବାକୁ ଯାଇ ତଳେ ପଡ଼ିଯାଇଥିଲେ ଓ ଆହତ ହୋଇଥିଲେ । ଏପରିକି ସେ ଆଉ ଉଠିପାରି ନ ଥିଲେ ଓ ତାଙ୍କୁ ଉଠିବା ସକାଶେ ଫିଜିଓଙ୍କ ସହାୟତା ନେବାକୁ ପଡ଼ିଥିଲା । ତାଙ୍କ ଜଙ୍ଘରେ ଆଘାତ ଲାଗିଥିବା କୁହାଯାଇଥିଲେ ହେଁ ସ୍କାନିଂ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି । ତେବେ ଚଳିତ ଦିନିକିଆ ସିରିଜ୍‌ରେ ବେଶ୍ ଭଲ ଫର୍ମରେ ଥିବା ୱାର୍ଣ୍ଣର୍‌ଙ୍କ ଆଘାତଜନିତ ସ୍ଥିତି ଗୁରୁତର ଥିଲେ, ଏହା ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ପାଇଁ ଏକ ଝଟ୍‌କା ହେବ । କାରଣ ଆଗାମୀ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ୱାର୍ଣ୍ଣର୍ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ସାଧାରଣତଃ ଜଙ୍ଘରେ ଆଘାତ ଲାଗିଲେ, ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ସକାଶେ ୬ ସପ୍ତାହର ସମୟ ଆବଶ୍ୟକ ହୋଇଥାଏ । ଏପରି ସ୍ଥଳେ ୱାର୍ଣ୍ଣର୍ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ପାଇଁ ହିଁ ଉପଲବ୍ଧ ହେବେ । କିନ୍ତୁ ଏନେଇ ଟିମ୍ ମ୍ୟାନେଜ୍‌ମେଂଟ୍ ପକ୍ଷରୁ କିଛି କୁହାଯାଇ ନ ଥିବା ବେଳେ ଖୁବଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ଆଶା । ସୂଚନାଯୋଗ୍ୟ ଯେ ପ୍ରଥମ ମ୍ୟାଚରେ ଆହତ ହୋଇଥିବା ମାର୍କସ୍ ଷ୍ଟୋଇନିସଙ୍କ ସ୍ଥାନରେ ମୋଜେସ୍ ହେନରିକ୍ସ ଦ୍ୱିତୀୟ ମ୍ୟାଚ୍ ଖେଳିଛନ୍ତି ।

Spread the love