ଅବୈଧ ସମ୍ପର୍କ ଲୁଚାଇବାକୁ ଦେହରକ୍ଷୀକୁ ୧୨ କୋଟି ଦେଇଥିଲେ ଦୁବାଇର ରାଜକୁମାରୀ

ଦୁବାଇ : ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମଙ୍କ ଷଷ୍ଠ ପତ୍ନୀ ରାଜକୁମାରୀ ହାୟା ନିଜ ଦେହରକ୍ଷୀଙ୍କ ସହ ଅବୈଧ ସମ୍ପର୍କ ରଖି ଏହାକୁ ଲୁଚାଇବାକୁ ଯାଇ ତାଙ୍କୁ ୧୨ କୋଟି ଟଙ୍କା ଓ ମୂଲ୍ୟବାନ ଉପହାର ଦେଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ଅନ୍‌ଲାଇନ୍ ‘ମେଲ୍‌’ର ରିପୋର୍ଟ ଅନୁଯାୟୀ ରାଜକୁମାରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଦେହରକ୍ଷୀଜଣକ ହେଲେ ବ୍ରିଟିଶ ନାଗରିକ ରସେଲ ଫ୍ଲାୱାର୍ସ । ରାଜକୁମାରୀ ହାୟା ୩୭ ବର୍ଷୀୟ ରସେଲଙ୍କୁ ବିଭିନ୍ନ ପ୍ରକାର ମୂଲ୍ୟବାନ ଉପହାର ଦେଇ ଫସାଇଥିଲେ । ଏପରିକି ୧୨ ହଜାର ପାଉଣ୍ଡ୍‌ର ଏକ ହାତଘଣ୍ଟା ସେ ରସେଲଙ୍କୁ ଉପହାର ଦେଇଥିଲେ ବୋଲି ଜଣାପଡିଛି । ରାଜକୁମାରୀ ହାୟା ଏବେ ଦୁବାଇ ଶାସକ ମକତୁମ୍‌ଙ୍କୁ ଛାଡପତ୍ର ଦେଇ ଲଣ୍ଡନର କେନ୍‌ସିଙ୍ଗଟନ୍ ଠାରେ ତାଙ୍କର ଦୁଇ ସନ୍ତାନଙ୍କ ସହ ରହୁଛନ୍ତି । ସ୍ୱାମୀଙ୍କ ସହ ତାଙ୍କର ବିବାଦ ନେଇ ଏବେ ଲଣ୍ଡନ ହାଇକୋର୍ଟରେ ମାମଲା ଚାଲିଛି । ଏହି କୋର୍ଟରେ ଶୁଣାଣି ସମୟରେ ରାଜକୁମାରୀ ହାୟାଙ୍କର ଦେହରକ୍ଷୀ ସହ ଅବୈଧ ସମ୍ପର୍କ ପଦାକୁ ଆସିଛି । ଘଟଣା ପ୍ରଘଟ ହେବା ପରେ ଦେହରକ୍ଷୀ ରସେଲଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡିଛନ୍ତି । ସେ ସ୍ୱାମୀଙ୍କୁ ଛାଡପତ୍ର ଦେବା ଲାଗି ସ୍ଥିର କରିଛନ୍ତି ।

Spread the love