ଅଧ୍ୟାପକମାନଙ୍କ ନିଷ୍ଠା ଓ ଚେଷ୍ଟା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ : ଉଚ୍ଚଶିକ୍ଷା ମନ୍ତ୍ରୀ

  • ୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ଦିଗରେ ଅଧ୍ୟାପକଅଧ୍ୟାପିକାମାନେ ନିଷ୍ଠାର ସହିତ ଚେଷ୍ଟା କଲେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧିତ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ବୁଧବାର ପୂର୍ବାହ୍ନରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍‌ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକମାନଙ୍କର ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରଯାଇଛି ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ନହୁଅନ୍ତି । ମେଧାକୁ କେବେହେଲେ ଅଟକାଇ ହେବ ନାହିଁ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ଏକ ସୁଦୀର୍ଘ ପରମ୍ପରା ରହିଛି । ଓଡ଼ିଆ ଭାଷା ସାହିତ୍ୟ ଆମ ନିଜସ୍ୱ, ବହୁ ପ୍ରାଚୀନ ଏବଂ ଅତ୍ୟନ୍ତ ଉଚ୍ଚ ମାନର । ରାଜ୍ୟ ସରକାର ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ।
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହିମାକୁ ଆହୁରି ଗୌରବାନ୍ୱିତ ଓ ରୁଦ୍ଧିମନ୍ତ କରିବାର ଗୁରୁଦାୟିତ୍ୱ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକାମାନଙ୍କ ଉପରେ ନ୍ୟସ୍ତ ହୋଇଛି । ସେମାନେ ଏହାକୁ ସଫଳତାର ସହ ନିର୍ବାହ କରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଅଧ୍ୟାପକମାନେ ନିଜର ନିଷ୍ଠା, ଚେଷ୍ଟା, ଯୋଗ୍ୟତା ଓ ପରିଶ୍ରମ ବଳରେ ସମାଜର ଆଙ୍ଗିକ ଓ ସାମଗ୍ରିକ ଉନ୍ନତି ପାଇଁ କାମ କରନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଅଧ୍ୟାପକମାନେ ସର୍ବଦା ଜ୍ଞାନ ଆହରଣରେ ବ୍ରତୀ ହୋଇ ନିଜ ନିଜର ଚିନ୍ତା ଓ ଚେତନାର ବିକାଶ କରିବା ଦରକାର । ଭଲ ଶିକ୍ଷାଦାନ ସହିତ ପ୍ରଶାସନିକ ଓ ନେତୃତ୍ୱ ନେବା କ୍ଷେତ୍ରରେ ଦକ୍ଷତା ହାସଲ କରିବା ଉଚିତ ।ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକା ଭାବରେ ଓଡ଼ିଆ ଭାଷାକୁ ଅଧିକ ଗ୍ରହଣୀୟ ଓ ଆଦରଣୀୟ କରିବା ଦିଗରେ ନିଷ୍ଠାପର ଉଦ୍ୟମ କଲେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବ ବୋଲି ସଚିବ ଶ୍ରୀ ମିଶ୍ର କହିଥିଲେ । ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସିଲେକ୍‌ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ୧୨୦ ଜଣ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକାମାନଙ୍କୁ ପ୍ଲେସ୍‌ମେଂଟ ଅର୍ଡର ପ୍ରଦାନ କରାଯାଇଥିଲା । ସେମାନେ ପ୍ଲେସ୍‌ମେଂଟ ଅର୍ଡର ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ନିଯୁକ୍ତ ହେବେ ।

Spread the love